ଭୁବନେଶ୍ୱର,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ନିରଙ୍କାରୀ ମିଶନ ଦ୍ବାରା ଆୟୋଜିତ “ ଓ୍ୱାନ୍ନେସ୍ ଟକ୍- " ମୁଁ କିଏ ” ଶୀର୍ଷକର ଏକ ସ୍ଵତନ୍ତ୍ର ଆଧ୍ୟାତ୍ମିକ ଆଲୋଚନାଚକ୍ର | ଏହି କାର୍ଯ୍ୟକ୍ରମରେ ସନ୍ଥ ନିରଙ୍କାରୀ ମିଶନର ପ୍ରତିନିଧିଗଣ ବକ୍ତା ଭାବେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରର ଲକ୍ଷ୍ୟ ଥିଲା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଜୀବନର ସବୁଠାରୁ ଗଭୀର ପ୍ରଶ୍ନ- "ମୁଁ କିଏ " ର ଅନୁସନ୍ଧାନ କରାଇବାରେ ସାହାଯ୍ୟ କରିବା। ଏହି ଅବସରରେ ନିରଙ୍କାରୀ ମଣ୍ଡଳ ଦିଲ୍ଲୀର ପବ୍ଲିସିଟି ବିଭାଗର ସଂଯୋଜକ ଶ୍ରୀ ହେମରାଜ ଶର୍ମା ଉପସ୍ଥିତ ରହି ନିଜର ପ୍ରେରଣାଦାୟକ ବିଚାର ସମସ୍ତଙ୍କ ମଧ୍ୟରେ ବାଣ୍ଟିଥିଲେ | ସୂଚନାଯୋଗ୍ୟ , ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ, ସ୍ବର୍ଗତ ଶୁଭନିତ ଗୁଗନାନୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି | ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର କ୍ଷେତ୍ରୀୟ ଆଭାରୀ ଶ୍ରୀ ସତୀନ୍ଦର ଗୁଗନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା | ବକ୍ତୃତା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭକ୍ତିସଂଗୀତ ପରିବେଷଣ କରାଯାଇଥିଲା | ଏହି ସଭାରେ, ନିରଙ୍କାରୀ ମିଶନର ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧି ତଥା ଦେଶବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ଯୋଗଦେଇଥିଲେ |