ତିହିଡି଼,(ଉତ୍କଳ ନ୍ୟୁଜ),୨୩.୦୭.୨୦୨୫ : ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ଗିରଫ୍ । ଝିଅ ଜନ୍ମ କରିବା ସ୍ତ୍ରୀର ଭୁଲ ବୋଲି ସ୍ୱାମୀ ପକ୍ଷରୁ ବାରମ୍ବାର କୁହା ଯାଉଥିଲା। ୨ଟି ଝିଅ ପରେ ସ୍ତ୍ରୀ ପୂନଶ୍ଚ ଗର୍ଭବତୀ ହୋଇଥିଲେ । ଯାହାକୁ ସହଜରେ ହଜମ କରିନପାରି ସ୍ୱାମୀ ଜଣକ ଅକଥନୀୟ ଅତ୍ୟାଚାର କରିବା ସହ ଘରେ କେହି ନଥିବାର ସୁଯୋଗ ନେଇ ମାଡ ମାରିଥିଲେ । ଏପରିକି ତାଙ୍କ ପେଟକୁ ଗୋଇଠା ମଧ୍ଯ ମାରିଥିଲେ। ଅଚେତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତିହିଡି ପରେ ଭଦ୍ରକ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ଜଣା ପଡିଥିଲା ଏବଂ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ମେଡିକାଲରୁ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ ମହିଳା । ପୋଲିସ ଏକ ମାମଲା ୨୨୩/୨୫ ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ଗିରଫ୍ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ସାନ୍ତରାପୁର ବାଲିସାହିର ସେକ୍ ସାହାବୁଦ୍ଦିନ ବୋଲି ଜଣାଯାଇଛି । ଗତ ୨୦୧୭ ମସିହାରେ ସେ ତିହିଡି ମିର୍ଜାପୁର ଗ୍ରାମର ସମିନା ବିବିଙ୍କୁ ବିବାହ କରିଥିଲେ । ଇତି ମଧ୍ୟରେ ସମିନା ଦୁଇ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ସଂପ୍ରତି ଗର୍ଭବତୀ ମଧ୍ୟ ଥିଲେ । ଝିଅ ଜନ୍ମ ଦେଇଥିବା ନେଇ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଲଗାତର ଭାବେ ମାରଧର କରି ଆସୁଥିଲା । କେବଳ ସେତିକି ନୁହେଁ ଯୌତୁକ ଜନିତ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ଉଭୟ ଗାଁର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ବିଭିନ୍ନ ସମୟରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । କିଛି ଦିନ ହେଲା ସମିନା ନିଜ ବାପ ଘରେ ରହୁଥିଲେ । ଗତ ତା ୦୪.୦୭.୨୫ରିଖରେ ଅଭିଯୁକ୍ତ ସ୍ୱାମୀ ସାହାବୁଦ୍ଦିନ୍ ସ୍ତ୍ରୀ ସମିନାଙ୍କୁ ମିର୍ଜାପୁରରେ ଭେଟି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ନିସ୍ତୁକ ମାଡ ମାରିବା ସହିତ ପେଟକୁ ଗୋଇଠା ମଧ୍ୟ ମାରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।