ତିହିଡି,(ଉତ୍କଳ ନ୍ୟୁଜ),୨୫.୦୭.୨୦୨୫ : ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭାରତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କେରଳ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ)ର ପୂର୍ବତନ ପଲିଟବ୍ଯୁରୋ ସଭ୍ୟ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ଶ୍ରଦ୍ଧାଞ୍ଜଳୀ ସଭା ବନ୍ତ ଛକଠାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଗୋଟିଏ ଦଳିତ ପରିବାରରେ ଜନ୍ମଗ୍ରହଣ କରି କେରଳ ରାଜ୍ୟର ମତ୍ସ୍ଯଜୀବୀ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ଲଢେଇ ଆରମ୍ଭ କରି ପରବର୍ତ୍ତୀ ଅବସ୍ଥାରେ ୨୦୦୬ ରୁ ୨୦୧୧ ମସିହା ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ । କେରଳ ରାଜ୍ୟ ବିଧାନସଭାର ସେ ୧୫ ବର୍ଷ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇ ଥିଲେ । ଭୂସଂସ୍କାର ଆଇନ ବଳରେ ଗରିବ ଭୂମିହୀନ ଲୋକଙ୍କ ଭିତରେ ପ୍ରାୟ ଏକ ଲକ୍ଷ ହେକ୍ଟର ଚାଷ ଜମି ବଣ୍ଟନ କରିବା କ୍ଷେତ୍ରରେ ତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। କେରଳ ରାଜ୍ୟରେ ଚା ଚାଷୀ, ରବର ଚାଷୀ, କପା ଚାଷୀ ଓ ସମସ୍ତ ପ୍ରକାରର ଚାଷୀଙ୍କ ପାଇଁ ସମବାୟ ସମିତି ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କେରଳ ରାଜ୍ୟକୁ ସେ ଭାରତର ଏକ ନମ୍ବର ଶିକ୍ଷିତ ରାଜ୍ୟରେ ପରିଣତ କରିଥିଲେ । କେରଳରେ ଜଳପଥରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଐତିହାସିକ ପୁନପ୍ରା ଭାୟାଲର କୃଷକ ଆନ୍ଦୋଳନରେ ସେ ଥିଲେ ପ୍ରମୁଖ ସେନାପତି । ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କାଳନ୍ଦୀ ପାତ୍ର, ଗିରିଧାରୀ ନାଥ, ସୁରଜିତା ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରହଲ୍ଲାଦ ପତି, ଯୁବ ନେତା ସେକ୍ ସନାଉଲ୍ଲା, ଭଦ୍ରକ ମୋହରିର ସଂଘର ନେତା ମୁକ୍ତିକାନ୍ତ ବାରିକ୍, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ପାଣିଗ୍ରାହୀ, ଯୁବ ନେତା ସେକ୍ ରୁସ୍ତମ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିଆଇଟିୟୁ ନେତା ମୁନା ନାୟକ, କର୍ମଚାରୀ ନେତା ଅଶ୍ୱିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ସାଧାରଣ ଲୋକଙ୍କ ଅଧିକାର ପାଇଁ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଭାରତରେ ଜନଗଣତାନ୍ତ୍ରିକ ବିପ୍ଲବ ମାଧ୍ୟମ ଦେଇ ସମାଜବାଦ ପ୍ରତିଷ୍ଠା କରିବାର ତାଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଭଦ୍ରକ ଜିଲ୍ଲାବାସୀ ଅଗ୍ରସର ହେବାକୁ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିବା ବକ୍ତାମାନେ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।