୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

42

କଟକ,(ଉତ୍କଳ ନ୍ୟୁଜ), ୨୪.୦୭.୨୦୨୫ : ଚଳିତବର୍ଷ ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ପାଳନ କରାଯିବା ନିମନ୍ତେ ଏଥିସହ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ ପୂର୍ବକ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ୭୯ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, କଟକ ସଦର ଉପଜିଲ୍ଳାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ ସମାରୋହକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ସ୍ୱାଧୀନତା ଦିବସକୁ ସଫଳତାର ସହ ପାଳନ କରିବା ନିମେନ୍ତ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟର ତଦାରଖ କରାଯିବାକୁ ଜିଲ୍ଲାପାଳ କହିଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ କଟକ ବାରବାଟୀ ଷ୍ଟାଡିୟମ ପଡିଆରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଭ୍ୟାସ ପରେଡ ଏବଂ ୧୫ ତାରିଖରେ ସ୍ୱାଧୀନତା ଦିବସ ପରେଡ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ସକାଳ ୯ ଘଟିକା ସମୟରେ ମୁଖ୍ୟଅତିଥି ଐତିହାସିକ ବାରବାଟୀ ଷ୍ଟାଡିୟମ ପଡିଆରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିବେ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ । ତେବେ ବିିଭନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ସହରର ବିଭିନ୍ନ ପୂଜା ମଣ୍ଡପ ସକାଳ ୮ ଘଟିକା ସମୟରେ ଜାତୀୟ ପତାକା ଉତୋଳନ କରିପାରିବେ । ଏହି ଅବସରରେ ପ୍ରତ୍ୟୁଷ ୪ଟା ୩୦ ମିନିଟ୍ ସମୟରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ୍ ପରିବେଷଣ କରାଯିବ । ଚଳିତ ବର୍ଷ ଓଏସଏପି, ସଶସ୍ତ୍ର ବାହିନୀ, ପୋଲିସ୍ ବ୍ୟାଣ୍ଡ, ହୋମଗାର୍ଡ ଦଳଙ୍କ ଦ୍ୱାରା ରାଷ୍ଟ୍ରୀୟ ସଲାମୀ ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍‌, ଗାଇଡ ଓ ସିଭିଲିଆନ ଦଳ ସମ୍ମିଳିତ ପରେଡରେ ଭାଗ ନେବେ । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା କନିଷ୍ଠ ଓ ବରିଷ୍ଠ ବିଭାଗରେ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଦେଶାତ୍ମବୋଧକ ସଂଗୀତ ଗାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ ଜିଲ୍ଳାସ୍ତରୀୟ ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ କମିଟି ମାଧ୍ୟମରେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି । ଆସନ୍ତା ୭ ତାରିଖ ସୁଦ୍ଧା କମିଟି ଏହାର ଚୂଡାନ୍ତ ତାଲିକା ପ୍ରସ୍ତୁତ କରି ଜିଲ୍ଳାପାଳଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ସ୍ୱାଧୀନତା ଦିବସକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ପୂର୍ତ ବିଭାଗ, କଟକ ମହାନଗର ନିଗମ ଓ ଏହାର ସ୍ୱାସ୍ଥ୍ୟ ଶାଖା,କଟକ ଉନ୍ନୟନ କର୍ତୃପକ୍ଷ, ବନ ବିଭାଗ, ଟିପିସିଓଡିଏଲ, ୱାଟକୋ, ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଆଂଚଳିକ ପରିବହନ ବିଭାଗ ପୋଲିସ କମିଶନରେଟଙ୍କ ନ୍ୟସ୍ତ ଦାୟିତ୍ୱ ସୁଚାରୂ ରୂପେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସହରର ସମସ୍ତ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସେହିସବୁ ସ୍ଥାନର ସଫେଇ ନିମନ୍ତେ କଟକ ମହାନଗର ନିଗମକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ଜିଲ୍ଳାର ବିଭିନ୍ନ ସରକାରୀ କାର୍ଯାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମତେ ସବୁବର୍ଗର ଲୋକେ ଜାତୀୟ ଉତ୍ସବରେ ସାମିଲ ହେବା ନିମେନ୍ତ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ଅବସରରେ ଚଳିତ ଥର ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାର ମୁଖ୍ୟ ପ୍ରବେଶ ପଥ ଓ ଐତିହାସିକ ପୀଠ ତଥା ସରକାରୀ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଆଲୋକ ସଜ୍ଜିକରଣ କରାଯିବାକୁ କଟକ ମହାନଗର ନିଗମକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ପୂର୍ବବର୍ଷର ବିବରଣୀ ପାଠ କରିବା ସହ ବୈଠକ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।