କଟକ,(ଉତ୍କଳ ନ୍ୟୁଜ),୨.୦୮.୨୦୨୫ : ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଯୁଗ ଫେରିବା ନେଇ ଆଶାବାଦୀ ଥିବା ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଖବର | ଆଜି ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ବାଜିମାତ କରିଛି ଓଡ଼ିଆ ସିନେମା "ପୁଷ୍କରା" | ୨୦୨୩ ମସିହାର ଶ୍ରେଷ୍ଠ ଓଡ଼ିଆ ଫିଚର ସିନେମା ଭବେ "ପୁଷ୍କରା" ମନୋନୀତ ହୋଇଛି | ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ "ପୁଷ୍କରା"ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର | ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ସୁପ୍ରିୟା ନାୟକଙ୍କ ସହ ଚୌଧୁରୀ ବିକାଶ ଦାସ , ଅଶ୍ରୁମୋଚନ ମହାନ୍ତି ,ତ୍ରିଭୁବନ ପଣ୍ଡା , ଅଳକା ଶତପଥୀ , ରବି ମିଶ୍ର ଓ ଶଙ୍କର ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି | ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ "ନାଦବିନ୍ଦୁ" ଉପରେ ଆଧାରିତ ହୋଇଛି "ପୁଷ୍କରା" |