କଟକ,(ଉତ୍କଳ ନ୍ୟୁଜ), ୨୦.୮.୨୦୨୫ : କଟକ ଜିଲ୍ଲାସ୍ତରୀୟ "ଆସ ସ୍କୁଲ ଯିବା" ଅଭିଯାନ ନିମନ୍ତେ ଏକ ବୈଠକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷଠରେ ଅନୁଷ୍ଠିତ ହୋଇଯାଇଅଛି। କଟକ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା , ବିଦ୍ୟାଳୟରେ ନାମ ନ ଲେଖାଇଥିବା ଏବଂ ଆଦୌ ବିଦ୍ୟାଳୟ ଯାଇନଥିବା ସାତ(୭)ବର୍ଷରୁ ଉର୍ଦ୍ଧ ବୟସର ପିଲାମାନକୁ ଶିକ୍ଷା କ୍ଷେତ୍ରରେ ମୁଖ୍ୟ ସ୍ରୋତରେ ସାମିଲ କରିବାନେଇ ଆଜିର ଏହି "ଆସ ସ୍କୁଲ ଯିବା ଅଭିଯାନ"ବୈଠକରେ ଜିଲ୍ଲାପାଳ ବିଶେଷ ଆଲୋଚନା କରିବା ସହ ଆମ ଜିଲ୍ଲାରେ ସ୍କୁଲ ଯିବା ପାଇଁ ପିଲାମାନଙ୍କୁ କିପରି ଉତ୍ସାହିତ କରି ପାରିବା ସେଥିପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଉଭୟ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ଵ ରହିଛି। ବିଶେଷ କରି ସମସ୍ତ ବ୍ଲକ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟରେ ବୈଠକ କରି ପିଲା ମାନଙ୍କୁ ଶିକ୍ଷା ପ୍ରାପ୍ତ କରାଇବାରେ ପଦକ୍ଷେପ ଗ୍ରହଣ କରାଯିବ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ପଦକ୍ଷେପ ସ୍ୱରୂପ ଚାଇଲ୍ଡ ଟ୍ରାକିଂ ସର୍ଭେ ୨୦୨୫-୨୬ବର୍ଷ ଅନୁଯାୟୀ ସମଗ୍ର ଜିଲ୍ଲାରେ ୫୨୪୭ଜଣ ପିଲା ପାଠ ପଢା ଛାଡ଼ିଥିବାର ସୂଚନା ଦିଆଯାଇଥିବା ବେଳେ କେବଳ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୭ ରୁ ୧୮ ବର୍ଷ ବୟସ ମଧ୍ୟରେ ୨୨୬୦ ଜଣ ପିଲା ପାଠପଢାରୁ ବଞ୍ଚିତ ଅଛନ୍ତି। ପ୍ରକାଶ ଥାଉକି ଏଭଳି ପିଲାମାନଙ୍କୁ ସମାଜର ଶିକ୍ଷା କ୍ଷେତ୍ରରେ ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର"ଆସ ସ୍କୁଲ ଯିବା"ଅଭିଯାନ ଆରମ୍ଭ କରିଛନ୍ତି। ଆବାହକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଉକ୍ତ ବୈଠକରେ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଏବଂ କାର୍ଯ୍ୟକ୍ରମ (ଯୋଜନା) ସଂଯୋଜକ, ନିର୍ଝରଣୀ ଜେନା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆୟୋଜିତ ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଗଣ, ବିଡିଓ ଗଣ, ସରକାରୀ ଆଇଟିଆଇ, ଖପୁରିଆ ଓ ମଧୁସୂଦନ,ଟାଙ୍ଗୀ ଆଇଟିଆଇ, ଡି ଆଇ ଇ ଟି, ନରସିଂହପୁର ର ପ୍ରଶିକ୍ଷଣ ଅଧିକାରୀ, ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ,ଜିଲ୍ଲା ନିଯୁକ୍ତି ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।
