ଗଣେଶ ପୂଜା -୨୦୨୫ ପାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ |

29

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଚଳିତ ବର୍ଷ ଗଣେଶ ପୂଜା-୨୦୨୫କୁ ସରସ ସୁନ୍ଦର ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଏଥିସହ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶାନ୍ତି କମିଟିର କର୍ମକର୍ତ୍ତା ତଥା ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ଆହୁତ ତା୨୧.୦୮.୨୦୨୫ରିଖ ଅପରାହ୍ନ ୪ଘଟିକା୩୦ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଗଣେଶ ପୂଜା ପାଳନ ଓ ଭସାଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୂଜା ପ୍ରସ୍ତୁତି ଓ ଭସାଣୀ ସମ୍ବନ୍ଧିତ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନର ସମସ୍ତ ସଂପୃକ୍ତ ବିଭାଗ ସହିତ ପୂଜା କମିଟିମାନେ ସମନ୍ଵୟ ରକ୍ଷା କରି ଗଣେଶ ପୂଜା ପାଳନ ଓ ଭସାଣୀ ଉତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ବୈଠକରେ ଆଲୋଚନା କରିଥିଲେ । ବୈଠକରେ ପୂଜା ଦିନ ଓ ଭସାଣୀ ସମୟରେ ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ବ୍ୟବହାର କରି ଶୋଭାଯାତ୍ରା ନେଲେ ଶବ୍ଦ ପ୍ରଦୂଷଣ ରୋକିବା ସହିତ ପରାମ୍ପରିକ ବାଦ୍ୟ କଳାକାର ମଧ୍ୟ ରୋଜଗାର ପାଇବେ ଓ ସମଗ୍ର ସମାଜର ମଙ୍ଗଳ ସାଧିତ ହେବ ବୋଲି ଜିଲ୍ଲାପାଳ ବୈଠକରେ ମତ ପ୍ରକାଶ କରିବା ସହ ସମସ୍ତ ପୂଜା ମଣ୍ଡପରେ ବିଶେଷ କରି ଅଗ୍ନିଶମ, ବିଦ୍ୟୁତ ଏବଂ ନିର୍ମାଣ ସମ୍ବନ୍ଧୀୟ ସୁରକ୍ଷା ପ୍ରମାଣ ପତ୍ର ହାସଲ କରିବାକୁ କହିଥିଲେ । ରାତ୍ରୀ ୧୦ଘଟିକା ପରେ ଡାକବାଜି ଯନ୍ତ୍ରର ବ୍ୟବହାର ନିଷେଧ ଏବଂ ସଂବେଦନଶୀଳ ସ୍ଥାନମାନଙ୍କରେ କମ ଧ୍ୱନି କରିବା ସହ ଲେଜର ଲାଇଟକୁ ପୂଜାମଣ୍ଡପ ଓ ଭସାଣୀ ଉତ୍ସବରେ ବ୍ୟବହାର ନକରିବା ତଥା ନିଶା ସେବନ ନକରି ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଉପସ୍ଥିତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଗଣେଶ ପୂଜା ତା୨୭.୦୮.୨୦୨୫ରିଖ ଦିନ ପାଳନ କରାଯାଇ ପର୍ଯ୍ୟାୟ କ୍ରମେ ତା୩୧.୦୮.୨୦୨୫ରିଖ, ତା୭.୦୯.୨୦୨୫ରିଖ ଏବଂ ତା୧୪.୦୯.୨୦୨୫ରିଖ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଗଣେଶ ପୂଜା ପାଳନ ଓ ଭସାଣୀ ସମୟରେ ବିଦ୍ୟୁତ ସରବରାହ, ରାସ୍ତା ମରାମତି, ପାନୀୟଜଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟ, ପରିମଳ,ଆଇନ ଶୃଙ୍ଖଳା,ମେଢ ଯାତାୟାତ ନିମନ୍ତେ କେବୁଲତାର ଅପସାରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଗଣେଶ ପୂଜା ଓ ଭସାଣୀ ପୂର୍ବରୁ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା କେବୁଲ ତାରର ଅପସାରଣ ସୁବ୍ୟବସ୍ଥା କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଏସଏନଏଲ ଏବଂ ସମସ୍ତ କେବୁଲ ସଂସ୍ଥାର କର୍ମକର୍ତ୍ତାଙ୍କୁ ନେଇ ବୈଠକ ଡକାଯାଇ ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ କହିଥିଲେ । କଟକ ମହାନଗର ଶାନ୍ତି କମିଟିର ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ସାହୁ,ସଂପାଦକ ଶ୍ରୀ ଭିକାରି ଦାସ, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ, ଶାନ୍ତି କମିଟିର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଶିବେନ୍ଦ୍ର ହାତୀ, ନରସିଂହ ଚୌଧୁରୀ, ନରସିଂହ ସାହୁ, ଦୀପାୟନ ପଟ୍ଟନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ । ଚଳିତ ବର୍ଷ ତିନିଟି ପର୍ଯ୍ୟାୟରେ ଭସାଣୀ ନିମନ୍ତେ ଅନୁମତି ଥିବା କଥା ଦର୍ଶାଇ ଓ ପାରମ୍ପାରିକ ରୀତି ଅନୁଯାୟୀ ବିସର୍ଜନ ହେବାକୁ ଥିବା ମୂର୍ତ୍ତି ଗୁଡିକ ପାଇଁ ଆଉ ଗୋଟିଏ ଭସାଣୀ ଦିନ ସ୍ଥିର କରାଯିବା ପାଇଁ ପୂଜା କମିଟିମାନେ ଅନୁରୋଧ କରିଥିଲେ । ଏଥିସହ ସହରର ମୁଖ୍ୟ ରାସ୍ତା ଗୁଡିକରେ ତଥା ବିଭିନ୍ନ ୱାର୍ଡରେ ଖାଲଖମା ଯୁକ୍ତ ରାସ୍ତାଘାଟର ମରାମତି, ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ସ୍ବଚ୍ଛ ଜଳଯୋଗାଣ ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଯୋଗଦେଇ ଆୟୁକ୍ତ କଟକ ମହାନଗର ନିଗମ ସୁଶ୍ରୀ କିରନଦୀପ କୌର ସହୋତା କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ଆବଶ୍ୟକୀୟ ମୌଳିକ କାର୍ଯ୍ୟ ଗଣେଶ ପୂଜା ଭସାଣୀ ପୂର୍ବରୁ ଶେଷ କରାଯିବ ବୋଲି ସୂଚନା ଦେବାସହ ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇ ଏହାର ସମାଧାନ ଉପରେ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଉପସ୍ଥିତ ରହି ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅରିତକ୍ତ ପୋଲିସ ଉପ-ଆୟୁକ୍ତ ଶ୍ରୀ ଦେବଦତ୍ତ କର ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ପୂର୍ତ୍ତ-୧ ଏବଂ ୨, ନଗର ସ୍ୱାସ୍ଥ୍ୟ ଅଧିକାରୀ, ଟିପିସିଓଡ଼ିଏଲ ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ଅନ୍ଯାନ୍ଯ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ |