ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କ ବଳତ୍କାରୀଙ୍କୁ ଗିରଫ ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା କମିଟି ବୈଠକ।
କଟକ (ଉତ୍କଳ ନ୍ୟୁଜ ) ୧୬-୧୦-୨୦୨୫ : ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଦମାନ ଜିଲ୍ଲା ଦୂର୍ଗାପୁର ଅଞ୍ଚଳର ଶଭାପୁର ନିକଟରେ ଅବସ୍ଥାପିତ ଏକ ଘରୋଇ ଭେଷଜ ମହାବିଦ୍ୟାଳୟରେ ପାଠ ପଢୁଥିବା ଏମବିବିଏସ ଦ୍ୱିତୀୟ ବର୍ଷର ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଓଡିଆ ଛାତ୍ରୀଙ୍କ ଧର୍ଷଣକାରୀଙ୍କୁ ଅବିଳମ୍ବେ ଗିରଫ ସମେତ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା ଓ ବଳଙ୍ଗା ଛାତ୍ରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ଶହସ୍ର ବର୍ଷର ଭାଇଚାରାର ସହର କଟକରେ ସାଂପ୍ରଦାୟିକ ବିଶୃଙ୍ଖଳା, ଦୋକାନ ଭଙ୍ଗାରୂଜା, ପୋଲିସ ଉପରକୁ ପଥର ଫିଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଓଡିଶାରେ ମହିଳା ମାନଙ୍କ ସୁରକ୍ଷାକୁ ଗ୍ୟାରେଣ୍ଟି କରିବା, ମହିଳାମାନଙ୍କ ଜୀବନ ଜୀବିକାର ସୁରକ୍ଷା, ଓଡିଶା ଜୀବିକା ମିଶନ ସମେତ ସମସ୍ତ ସ୍କିମରେ କାମ କରୁଥିବା ମହିଳା ମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଚଢା ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ଘରୋଇ ଫାଇନାନ୍ସ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା, ଦେଶର ସମ୍ବିଧାନ, ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଓ ସ୍ୱାଧୀନ ବିଚାର ବ୍ୟବସ୍ଥାର ସୁରକ୍ଷା ଆଦି ଦାବିନେଇ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କମିଟି ବୈଠକ ଭଦ୍ରକ ନେତାଜୀ ନଗରସ୍ଥିତ ଜାନକୀ ନିଳୟ ଠାରେ ସଂଗଠନର ଜିଲ୍ଲା ଉପସଭାନେତ୍ରୀ ସୁମତି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ବୈଠକରେ ରାଜ୍ୟ ସଂପାଦିକା ସୁରଜିତା ନାୟକ ଯୋଗଦେଇ ପଶ୍ଚିମବଙ୍ଗ ରାଜ୍ୟର ଓଡ଼ିଆ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ନମିଳିଲେ ଓଡିଶା ତମାମ ବୃହତ୍ତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସଂଗେ ସଂଗେ ପଶ୍ଚିମବଙ୍ଗ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଓଡଶାରେ ଗତ ବର୍ଷକ ଭିତରେ ୯୩ ଜଣ ମହିଳା ଧର୍ଷଣରେ ଶିକାର ହେବା ଏବଂ ୩୫୦୦ରୁ ଉର୍ଦ୍ଧ ନାରୀ ନିର୍ଯାତନା ବିରୋଧୀ ମକଦ୍ଦମା ବିଭିନ୍ନ ଥାନାରେ ରୁଜୁ ହେବା ଘଟଣା ଓଡିଶାରେ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିବା ସହ ନାରୀ ନିର୍ଯ୍ଯାତନା ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଜିଲ୍ଲା ସଂପାଦିକା ପ୍ରଭାତି ଯେନା, ଜିଲ୍ଲା କମିଟି ସଭ୍ୟା ସୀତା ଦାସ, ରୋଜାଲିନି ସାମ୍ୟବାଦୀ, ମଧୁସ୍ମିତା ପାକଳ, ପ୍ରତିମା ସ୍ୱାଇଁ, ଶାନ୍ତିଲତା ନାୟକ, ସବିତା ବିଶ୍ବାଳ, ସଞ୍ଜିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |