ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ।

92

କଟକ (ଉତ୍କଳ ନ୍ୟୁଜ ) ୨୮/୦୧/୨୦୨୫ : ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଦ୍ଵିତୀୟ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା ) କମିଟି ବୈଠକ ଆଜି ପୂର୍ବାହ୍ନରେ ଅଂଶୁପା ହ୍ରଦ ନିକଟସ୍ଥ ପୂର୍ତ୍ତ ବିଭାଗ ଅଧୀନସ୍ଥ ବଙ୍ଗଳା ପରିସରରେ ମାନ୍ୟବର ସାଂସଦ, କଟକ ଲୋକସଭା ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ଆୟୋଜିତ ଏହି ବୈଠକରେ ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ମାନ୍ୟବର ବିଧାୟକ କଟକ ସଦର ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟାକ ବାଙ୍କୀ ଶ୍ରୀ ଦେଵୀ ପ୍ରସାଦ ତ୍ରିପାଠୀ, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ଉପଜିଲ୍ଲାପାଳ ଆଠଗଡ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ବେଟି ବଚାଓ, ବେଟି ପଢ଼ାଓ ଥିଲା ଆଜିର ଏହି ଦ୍ଵିତୀୟ ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ । ଭୃଣ ହତ୍ୟା କୁ ସଂପୂର୍ଣ୍ଣ ନିଷେଧ କରିବା, ଶିଶୁ ମୃତ୍ୟୁହାର ହ୍ରାସ କରିବା, ପୁଅ ଝିଅ ଙ୍କ ତାରତମ୍ୟ ହାର ଉପରେ ସମୀକ୍ଷା କରିବା ଏବଂ ଅଙ୍ଗନୱାଡି ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ୧୮ ବର୍ଷରୁ ଉର୍ଦ୍ଧ କନ୍ୟା ସନ୍ତାନଙ୍କ ନିମନ୍ତେ ବେଟି ବଚାଓ, ବେଟି ପଢ଼ାଓ ଯୋଜନା ରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଜନ୍ମ ପଞ୍ଜିକରଣ ତଥ୍ୟ ଅନୁଯାୟୀ ୧ହଜାର ପୁଅଙ୍କ ମଧ୍ୟରେ ୯ଶହ ଝିଅ ଅଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଏହା ବ୍ୟତୀତ ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ଦଳବେହେରା ଓ ମାନ୍ୟବର ବିଧାୟକ ବାଙ୍କୀ ଶ୍ରୀ ତ୍ରିପାଠୀ ବଡମ୍ବା, ନରସିଂହପୁର ର ବହୁ ଅଞ୍ଚଳ ଏବଂ ବାଙ୍କୀ ର କିଛି ଅଂଚଳରେ ମୋବାଇଲ ନେଟୱାର୍କ ରହୁ ନଥିବାରୁ ସେହି ସମସ୍ୟା ଉପରେ ସାଂସଦ ଶ୍ରୀ ମହତାବଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଂଶୁପା ହ୍ରଦର ଅପରପାର୍ଶ୍ୱର ଉନ୍ନତିକରଣ ନିମନ୍ତେ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିବା ସହ ବାକି ରହିଯାଇଥିବା କାର୍ଯ୍ୟକୁ ତ୍ବରାନ୍ୱିତ କରି ସମୟ ସୀମା ମଧ୍ୟରେ ଶେଷ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ କମିଟି କୃଷି ଓ ଆନୁସଅଙ୍ଗିକ ବିଭାଗ ଶ୍ରୀ ଆଶିଷ କୁମାର ସାହୁ, ଜିଲ୍ଲାପରିଷଦର ସଭ୍ୟ/ସଭ୍ୟା,ଜିଲ୍ଲାର ବିଭିନ୍ନ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ,ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ବହୁ ଜନ ପ୍ରତିନିଧିମାନେଉପସ୍ଥିତ ଥିଲେ । ପରିଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କଟକ ଶ୍ରୀ ସୁବାସ ଚନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।