କଟକ ( ଉତ୍କଳ ନ୍ୟୁଜ ) ୫-୦୬-୨୦୨୬: ପୂର୍ବାହ୍ନରେ ତ୍ରୟୋଦଶ କଟକ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସହ ଅଧ୍ୟକ୍ଷତା ଓ ସଂଯୋଜନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦ୍ଵାଦଶ ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଅନୁମୋଦିତ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଆଜିର ବୈଠକର ଚଳିତ କାର୍ଯ୍ୟସୂଚୀ ଅନୁଯାୟୀ କୃଷି, ଉଦ୍ୟାନ କୃଷି , ପଶୁପାଳନ , ଶିକ୍ଷା , ଜଙ୍ଗଲ, ପାନୀୟ ଜଳ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଯଥାକ୍ରମେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ । ଆଲୋଚନା ଓ ସମୀକ୍ଷା ପୂର୍ବକ ବୈଠକରେ କଟକ ସାଂସଦ, ଡଃ ଭର୍ତ୍ତୁହରି ମହତାବ ଯୋଗଦେଇ କହିଲେ ଯେ, ଏଲ ନିନୋ ଯୋଗୁ ପାଣିପାଗ ପରିବର୍ତ୍ତନ ହେଉଛି ଯାହା ଦ୍ଵାରା ବର୍ଷା କମ ହେବ କିନ୍ତୁ ଅଧିକାଂଶ ଜଳ ଭଣ୍ଡାର ପୂର୍ଣ୍ଣ ଥିବାରୁ ଜଳ ଅଭାବ ଦେଖା ଦେବ ନାହିଁ।ଏଥିସହିତ କୃଷି କ୍ଷେତ୍ରରେ ବିଶେଷକରି ଖରିଫ ଚାଷରେ ଉନ୍ନତମାନର ସାର ବ୍ୟବହାର ଯୋଗୁ କୌଣସି ଅସୁବିଧା ହେବ ନାହିଁ । ଜିଲ୍ଲା ପ୍ରଶାସନ ତରଫରୁ ପ୍ରମୋଦ ଉଦ୍ୟାନର ଉନ୍ନତିକରଣ ପାଇଁ ଧ୍ୟାନ ଦିଆଯାଉଛି । ଉଦ୍ୟାନରେ ଥିବା ଲେମ୍ବୁ , ଆମ୍ବ ଗଛ ଗୁଡିକରୁ ଏସଏଚଜି ମାନଙ୍କ ଦ୍ଵାରା ଆଚାର ତିଆରି କରିବା ନେଇ ଯୋଜନା ରହିଛି ବୋଲି ସାଂସଦ ଶ୍ରୀ ମହତାବ ସୂଚନା ଦେଇଥିଲେ । ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟ ରେ ଶିକ୍ଷକ ପୂରଣ , ବିଦ୍ୟାଳୟର ଉନ୍ନତିକରଣ ବିଷୟରେ ଆଲୋଚନା କରଯାଇଥିଲା । ଜିଲ୍ଲାରେ ୩୩ଟି ସ୍କୁଲ ପିଏମ ଶ୍ରୀ ସ୍କୁଲ ଘୋଷଣା କରାଯିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ । ନୂତନ ନଳକୂପ ଖନନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଏବଂ ଅଙ୍ଗନବାଡି, ସ୍କୁଲ, ଧାର୍ମିକ ସ୍ଥଳ ଗୁଡିକରେ ପାନୀୟଜଳ ଯୋଗାଇବା ସମ୍ପର୍କରେ ବୈଠକରେ ମତ ପ୍ରକାଶ ପାଇଥିଲା । ବନଖଣ୍ଡ ଅଞ୍ଚଳର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ କ୍ଷେତ୍ର ଅନୁଯାୟୀ ପ୍ରକଳ୍ପର ସ୍ଥିତି ସମେତ ଜିଲ୍ଲାର ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ଉପସ୍ଥିତ ବିଧାୟକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ସମୀକ୍ଷା କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୈଠକରେ ମତ ରଖିଥିଲେ । ବୈଠକରେ ଯୋଗଦେଇ ଆଠଗଡ଼ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦିଷ୍ଟ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା , ବିଦ୍ୟୁତ ଯୋଗାଣ ଓ ପଞ୍ଚାୟତ,ବ୍ଲକ ମାନଙ୍କରେ ଚାଲୁ ରହିଥିବା ସମସ୍ତ କାର୍ଯ୍ୟର ସ୍ଥିତି ପରଖି କାର୍ଯ୍ୟାନୁଷ୍ଠନ ଗ୍ରହଣ ଉପରେ ଆଲୋକପାତ କରିଥିଲେ ।

ବୈଠକରେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ , ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ପ୍ରମୁଖ ଉକ୍ତ ସମୀକ୍ଷା ପୂର୍ବକ ବୈଠକରେ ଉପସ୍ଥିତ ରହିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟସୂଚୀ ପୂର୍ବକ ସୂଚନା ପ୍ରଦାନ କରି ସଭା ସହ ସଂଯୋଜନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଉପଜିଲ୍ଲାପାଳ,ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀମତୀ ମନସ୍ଵିନୀ ଦାସ ,ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଶ୍ରୀ ଆଶିଷ କୁମାର ସାହୁ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଅଧିକାରୀ ଓ ଅଧିକ୍ଷଣ ଯନ୍ତ୍ରୀ, ବ୍ଲକ୍ ପ୍ରତିନିଧି, ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ସଭ୍ୟ/ ସଭ୍ୟା ବୃନ୍ଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।