ଇମ୍ଫା ଚୌଦ୍ଵାରରେ ବିଶ୍ୱ ପରିବେଶ ଦିବସ ପାଳିତ: ବୃକ୍ଷରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ |

1082

ଚୌଦ୍ଵାର, ( ଉତ୍କଳ ନ୍ୟୁଜ ) ୦୫-୦୬-୨୦୨୬ : ଇମ୍ଫା ଶିଳ୍ପ ଗୋଷ୍ଠୀ ପକ୍ଷରୁ କାରଖାନା ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ "ଆମର ଜଳବାୟୁ ଏବଂ ଆମର ଭବିଷ୍ୟତ"କୁ ଆଧାର କରି ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଏହି ଦିବସ ପାଳନ ପୂର୍ବରୁ, କମ୍ପାନୀର ପରିବେଶ ବିଭାଗ ଆନୁକୂଲ୍ୟରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପ୍ରଶିକ୍ଷଣ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଶିଳ୍ପ ସଂସ୍ଥାର ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।

ଏହି ଉତ୍ସବରେ ପରିବେଶ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଶୁକଦେବ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇମ୍ଫା ଚୌଦ୍ୱାରର ଉପସଭାପତି ଶ୍ରୀ ବିନୟ ଅଗ୍ରୱାଲା ଯୋଗଦେଇ ଉପସ୍ଥିତ ସମସ୍ତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ । ସେ ନିଜ ଅଭିଭାଷଣରେ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ଗଛ ଲଗାଇବା ଏବଂ ଜଳବାୟୁର ଯତ୍ନ ନେବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ଉତ୍ସବର ଶେଷ ପର୍ଯ୍ୟାୟରେ ମୁଖ୍ୟ ଅତିଥି, କମ୍ପାନୀର ଉଚ୍ଚ ପଦାଧିକାରୀ, ଶ୍ରମିକ ଓ କର୍ମଚାରୀଙ୍କ ସହଯୋଗରେ ଇମ୍ଫା ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।