ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ୩ ଦିନ ପାଇଁ ବନ୍ଦ ଘୋଷଣା କରିଲେ ଜିଲ୍ଲାପାଳ |
କଟକ ( ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୬ : ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡିକ ଚଳିତ ଅପ୍ରେଲ ମାସ ତା ୨୧.୦୪.୨୦୨୬ ରିଖ ଠାରୁ ୨୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥି ସହିତ ଆବଶ୍ୟକସ୍ଥଳେ ବିଦ୍ୟାଳୟ ତରଫରୁ ଅନଲାଇନ୍ ଶିକ୍ଷାଦାନ କରାଯାଇପାରିବ ଏବଂ ଏହି ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜଗୁଡ଼ିକ ମଧ୍ୟ ଉକ୍ତ ସମୟ ମଧ୍ୟରେ ବନ୍ଦ ରହିବ। ତେବେ, ପୂର୍ବନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିୟମିତ ସୂଚୀ ଅନୁଯାୟୀ ହେବ। ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଜିନିଷ ଘରକୁ ଦେବା ନିମନ୍ତେ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ , ପୂର୍ବରୁ ପ୍ରାତଃ ଘ୬. ୩୦ମି ଠାରୁ ସକାଳ ୯ଘଟିକା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ବୃଦ୍ଧିକୁ ପରିଲକ୍ଷିତ କରି ପୁନର୍ବାର ସମୀକ୍ଷା କରାଯାଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉପଯୁକ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଅବଲମ୍ବନ କରି ଜନଗଣନା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।