ଚାନ୍ଦବାଲିରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପରିଷଦ ବୈଠକ।

45

କଟକ ( ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୬ : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉନ୍ନୟନ ପରିଷଦର ବୈଠକ ସ୍ଥାନୀୟ ବିଜୁ ସ୍ମୁତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ଡ ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ଯୋଜନା ଅଧିକାରୀ ପ୍ରହଲ୍ଲାଦ ରଣା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚାନ୍ଦବାଲି ପୂର୍ତ୍ତ ବିଭାଗର ବୈତରଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ଓ ନିର୍ବାଚନ ମଣ୍ଡଳୀରେ ବିଗତ ଦିନରେ କେତେ କିଲୋମିଟର ରାସ୍ତା ମରାମତି ହୋଇଛି ତାହାର ହିସାବ ମାଗିଥିଲେ ବିଧାୟକ। ହେଲେ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ନାୟକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ।ସେହିପରି ବିଭାଗର ବିଭିନ୍ନ ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରିବାକୁ ପରାମର୍ଶ ଦେଇଥିଲେ। ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ସମାଲୋଚନା କରିଥିଲେ। କାର୍ଯ୍ୟ କରୁଥିବା ସଂସ୍ଥା ଇତି ମଧ୍ୟରେ ୯୧ ଶତକଡ଼ା ପ୍ରାପ୍ୟ ନେଇ ଯାଇଥିଲେ ବି ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳ ହୋଇଛି । ବିଭାଗୀୟ ଅଧିକାରୀ ମାନେ ସଂସ୍ଥାର କାର୍ଯ୍ୟକୁ ତଦାରଖ କରୁ ନଥିବା ଅଭିଯୋଗ ମଧ୍ୟ ହୋଇଛି। କେବଳ ସେତିକି ନୁହେଁ ନିମ୍ନମାନର ପାଇପ ଲାଇନ ବିଛା ହୋଇ ଥିବାରୁ ବିଭିନ୍ନ ଗ୍ରାମରେ ଏହା ଫାଟି ଦୂଷିତ ପାଣି ଯୋଗାଣ ହେଉଥିବା ଦେଖିବାକୁ ମିଳୁଛି। ସାତ ବର୍ଷ ମଧ୍ୟରେ ମେଗା ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀ ଜୁନ ମାସରେ କାର୍ଯ୍ୟ ସରିବ ବୋଲି କହି ଆସୁଥିବାରୁ ବିଧାୟକ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। କାର୍ଯ୍ୟ ଠିକ୍ ନକଲେ ସେ ସଂସ୍ଥାର କାର୍ଯ୍ୟାଳୟ ଘେରାଉ ଧମକ ଦେଇଥିଲେ। ସେହିପରି ବ୍ଲକରେ ବିଭିନ୍ନ ବିଭାଗରେ ୫୯ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସ୍ମୁତି ରଞ୍ଜନ ତରାଇ ସୂଚନା ଦେଇଥିଲେ। ଏହି ଟଙ୍କାର କାର୍ଯ୍ୟ କେବେ ସରିବ ସେ ସମ୍ବନ୍ଧରେ ବିଧାୟକ ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ପଚାରିବା ସହ ଉପସ୍ଥିତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରି ତୁରନ୍ତ ଏହି ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ। ଉଭୟ ବ୍ଲକ ଓ ଏନ୍ ଏ ସି ରେ ଦୁଇ ଜଣ ଯୋଗାଣ ଅଧିକାରୀ ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ଯୋଗାଣ ଅଧିକାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ତେଣୁ ହିତାଧିକାରୀ ସାମିଲ ବିଳମ୍ବ ହେଉଥିବା ସେ ପ୍ରକାଶ କରିଥିଲେ। ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସୁରଜ କୁମାର ମଲ୍ଲିକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେହିପରି ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଶିକ୍ଷା, ଉଠା ଜଳ ସେଚନ, ଭତ୍ତା ପ୍ରଦାନ ଆଦି ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀ ମାନେ ଉତ୍ତର ରଖିଥିଲେ।ବୈଠକ ରେ ଅନୁପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |