କଟକ ଜିଲ୍ଳାରେ ଜନଗଣନା କାର୍ଯ୍ୟ ତ୍ୱରାନ୍ୱିତ |

192

କଟକ ( ଉତ୍କଳ ନ୍ୟୁଜ ) ୨୩-୦୪-୨୦୨୬ : ୨୦୨୭ ଜନଗଣନାକୁ ସ୍ୱଚ୍ଛ, ସଠିକ୍ ଏବଂ ସୁଚାରୁରୂପେ ସମ୍ପାଦନ କରିବା ଲକ୍ଷ୍ୟରେ କଟକ ଜିଲ୍ଳାରେ ଗୃହ ଗଣନା କାର୍ଯ୍ୟ ଜାରି ରହିଛି । ଏହି ପର୍ଯ୍ୟାୟରେ କଟକ ଜିଲ୍ଲାରେ ବିଶେଷ ଅଗ୍ରଗତୀ ଦେଖିବାକୁ ମଳୁଛି, ଜିଲ୍ଳାପାଳ ତଥା ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଅତିରିକ୍ତ ଜିଲ୍ଳାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ କମଲଜିତ୍ ଦାସଙ୍କ ସହ ପରିଚାଳନା ଓ ପ୍ରଶାସନିକ ତଦାରଖରେ ଏହି କାର୍ଯ୍ୟ ସଫଳତାର ସହ ତ୍ୱରାନ୍ୱିତ ହେଉଛି । ଜିଲ୍ଳାରେ ମୋଟ ୩୮୦୭ ଜଣ ଗଣନାକାରୀ ଓ ୬୨୫ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ସେମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏପ୍ରିଲ ୨୨ ତାରିଖ ସଂଧ୍ୟା ସୁଦ୍ଧା ଜିଲ୍ଳାରେ ୪,୫୩,୯୯୫ଟି (ବିଲଡିଂ) ଗୃହ ଗଣନା କରାଯାଇଥିବାବେଳେ ୬,୩୮,୦୦୯ଟି ସେନସସ୍ ହୋମ୍ ( ପରିବାର) ଗଣନା ସଫଳତାର ସହ ସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଗଣନା କରାଯାଇଥିôବାବେଳେ ୧୬ ତାରିଖରୁ ଗଣନାକାରୀମାନେ ଘରକୁ ଘର ଯାଇ ଗୃହ ଗଣନା କରୁଛନ୍ତି । ପ୍ରତ୍ୟେକ ଘର ସମ୍ମୁଖରେ ଘର ନମ୍ବର ଲେଖାଯାଉଛି ଏବଂ ପରିବାରଗୁଡିକୁ ୩୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଉଛି, ଯାହା ଆଧାରରେ ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରଯାଉଛି । ଗଣନାକାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ ପାଇଁ ପ୍ରତି ଗଣନାକାରୀ ଅତି କମରେ ୧୭୦ଟି ଘରରୁ ୨୦୦ରୁ ଅଧିକ ଘର ପର୍ଯ୍ୟନ୍ତ ଗଣନା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିପରି ପ୍ରତି ୬ ଜଣ ଗଣନାକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିୟୋଜିତ ରହିଛନ୍ତି ଯେଉଁମାନେ କାର୍ଯ୍ୟର ଗୁଣମାନ ଓ ନିରୀକ୍ଷଣ ସୁନିଶ୍ଚିତ କରୁଛନ୍ତି । ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ଗଣନାକାର୍ଯ୍ୟ ଚାଲିବ । ସାଧାରଣ ଲୋକ ଗଣନାକାରୀଙ୍କୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଜନସାଧାରଣଙ୍କ ସଠିକ୍ ତଥ୍ୟ ଦେଶର ଯୋଜନା ଓ ବିକାଶମୂଳକ କାର୍ଯ୍ୟରେ ମୂଲ୍ୟବାନ୍ ଭୂମିକା ନିର୍ବାହ କରିବ । ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଜିଲ୍ଳାପାଳ ତିନିଜଣ ଉପଜିଲ୍ଳାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।