କଟକ ( ଉତ୍କଳ ନ୍ୟୁଜ ) ୨୭-୦୪-୨୦୨୬ : ୨୦୨୭ ଜନଗଣନାକୁ ସୁଚାରୂ ରୂପେ ତଥା ସଫଳତାର ସହ ସମ୍ପନ୍ନ କରିବା ନିମନ୍ତେ ଆଜି ଜିଲ୍ଳାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଳାରେ ନିୟୋଜିତ ଗଣନାକାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ଗଣନାକାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଗୋଟିଏ ଲେଖାଏଁ ଟୋପି ପ୍ରଦାନ କରିଛନ୍ତି । ଏଥିସହ ପ୍ରତି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଆରଏସ୍ ପ୍ୟାକେଟ ମହଜୁଦ ରଖାଯାଇଥିବା ବିଷୟରେ ଅବଗତ କରାଇଛନ୍ତି । ଜନଗଣନା ସମୟରେ ଆବଶ୍ୟକ ପଡିଲେ ଗଣନାକାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରୁ ଓଆରଏସ୍ ପ୍ୟାକେଟ୍ ନେଇପାରିବେ ବୋଲି ଜିଲ୍ଳାପାଳ କହିଛନ୍ତି । ଜନଗଣନା ଦେଶର ଯୋଜନାମୂଳକ ଉନ୍ନତି ପାଇଁ ମୂଳ ତଥ୍ୟ ଯୋଗାଇଥାଏ, ଯାହା ଉପରେ ଦେଶର ନୀତି ନିର୍ଦ୍ଧାରଣ କରାଯାଇଥାଏ । ଏଭଳି ଏକ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଜିଲ୍ଲାପାଳ ଗଣନାକାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କର ପ୍ରଶଂସା କରିବା ସହ ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଜନଗଣନାର ଗୁରୁତ୍ୱ ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏବଂ ଏହି କାର୍ଯ୍ୟରେ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଇବାକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ କମଲଜିତ୍ ଦାସ, ଡେପୁଟି କଲେକ୍ଟର ନୁରୀ ପରବିନ୍ ପ୍ରମୁଖ ଉପସ୍ଥିତ ଥିଲେ ।