କଟକ ( ଉତ୍କଳ ନ୍ୟୁଜ ) ୦୯.୦୫:୨୬ : ସଭ୍ୟତା ବଦଳିବା ସହିତ ଲୋକଙ୍କ ଚାଲିଚଳନ ମଧ୍ୟ ବଦଳି ଗଲାଣି । ଲୋକେ ଏବେ ଇଣ୍ଟରନେଟ୍ ବିନା ଚଳିବା ବଡ କଷ୍ଟକର ହୋଇ ପଡିଛି । ଅଧିକାଂଶ ସ୍ଥଳରେ ଏହାର କୁପ୍ରଭାବ ପଡୁଛି । ବିଶେଷକରି କିଶୋର, କିଶୋରୀ ଓ ଶିଶୁଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ମୋବାଇଲ ସଂପ୍ରତି ଏକ ପ୍ରକାର ନିଶା ହୋଇଗଲାଣି । ଏହି ମୋବାଇଲରେ ସାଇବର ଅପରାଧର ଶିକାର ହେବା ସହିତ କୁପଥଗାମୀ ମଧ୍ୟ ହେଉଛନ୍ତି । ଯାହାକୁ ରୋକିବା ଲାଗି ଓଡିଶା ପୋଲିସ ୟୁନିସେଫ୍ର ମିଳିତ ଉଦ୍ୟମରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର,କିଶୋରୀ ଓ ଶିଶୁମାନଙ୍କୁ ନେଇ ଘଟୁଥିବା ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଆଭାସୀ ମାଧ୍ୟମରେ ରାଜ୍ୟର ଡିଜିପି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ପ୍ରତ୍ୟେକ ଥାନାର ପୋଲିସ କାର୍ଯ୍ୟକର୍ତ୍ତାମାନେ କିଶୋରୀ, କିଶୋର ଓ ଶିଶୁମାନଙ୍କୁ “ଜୁଭେଣ୍ଟିକା” ସମ୍ପର୍କରେ ସଚେତନ କରାଇଥିଲେ । ଟିଭି ମାଧ୍ୟମରେ ଉଦାହରଣ ମୂଳକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ସାଇବର ଅପରାଧ, ବ୍ଲାକମେଲ୍, ଯୌନ ଶୋଷଣ ଓ ଏ-ଆଇ ମାଧ୍ୟମରେ ମିଥ୍ୟାରୋପ ଆଦି ଘଟଣାର ଦିନକୁ ଦିନ ବ୍ୟାପିବାରେ ଲାଗିଛି ଯାହା ପ୍ରତି ସଭିଏଁ ସତର୍କ ରହିବା ସହିତ ସାମାଜିକ ଗଣମାଧ୍ୟମ ଠାରୁ ଦୂରେଇ ରହିବା ଅଥବା ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବା ଆଦି ସମ୍ପର୍କରେ ସଚେତନ କରାଯାଇଥିଲା । ଏତତ୍ବ୍ୟତିତ ପୋଲିସ ପ୍ରତି ଭୟଶୀଳ ନହେବା, ସାମାଜିକ ସ୍ତରରେ ଘଟୁଥିବା ଅପରାଧ ସମ୍ପର୍କରେ ପୋଲିସକୁ ସୂଚନା ଦେବା, ବ୍ଲାକମେଲର ଶିକାର ହେଲେ ପୋଲିସକୁ ନିର୍ଭୟରେ ଅବଗତ କରିବା ଆଦି ପରାମର୍ଶ ଦିଆଯାଇଥିଲା । ଶେଷରେ ଥାନାରେ କେଉଁ ଅଧିକାରୀଙ୍କର କେଉଁ କାମ ଓ ଦାୟିତ୍ୱ ଏବଂ ଥାନାରେ କଣ ସବୁ ରହିଛି ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ତିହିଡି ଥାନା ପକ୍ଷରୁ ଆଇଆଇସି ଲୋପାମୁଦ୍ରା ଏସଆଇ ପ୍ରକାଶ ନାୟକ, ରୋଜେନ ମୁର୍ମୁ, ଦୀପ୍ତିମଞ୍ଜରୀ ବଡ଼ଯେନା, ଏଏସଆଇ କୁମୁଦିନୀ ବେହେରା ଓ ମାନସ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ପୀରହାଟ ପୋଲିସ ପକ୍ଷରୁ ଆଇଆଇସି ରୋଜାଲିନୀ ବେହେରା, ଏସଆଇ ଶ୍ୟାମସୁନ୍ଦର ନାୟକ, ଅତିରିକ୍ତ ଏସଆଇ ସୁଚିତ୍ରା ଓ ଲାଲୁ ହାଂସଦା, ରମାକାନ୍ତ ଜେନା, ସନ୍ତୋଷ ସେଠୀ, ସୌମ୍ୟରଞ୍ଜନ ପାତ୍ର ଓ ଅତିଥି ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀମାନଙ୍କ ସମେତ ବହୁ କିଶୋର ଓ କିଶୋରୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |