ପେଟ୍ରୋଲ ପମ୍ପରେ ଅଘୋଷିତ ଭିଡ, ପ୍ରଶାସନ ନିରବ |

22

କଟକ ( ଉତ୍କଳ ନ୍ୟୁଜ ) ୧୬-୦୫-୨୦୨୬ : ପେଟ୍ରୋଲ ପମ୍ପରେ ଅଘୋଷିତ ଭିଡ, ପ୍ରଶାସନ ନିରବ । ଏବେ ତୈଳ ସଙ୍କଟ କଥା ଚାରିଆଡେ ପ୍ରଚାର ହେଇ ଯାଇଛି । ଯେଉଁଥି ପାଇଁ ଲୋକେ ଚିନ୍ତାର ପଡି ଯାଇଛନ୍ତି । ଆଗକୁ ତୈଳ ନ ମିଳିବା ଆଶଙ୍କାରେ ଲୋକମାନେ ଭିଡି ଜମାଉଥିବା ଦେଖିବାକୁ ମିଳିଛି । ତୈଳ ସରିସରି ଆସୁଥିବାରୁ ଆଗକୁ ଆଉ ତୈଳ ନ ମିଳିବ ସେଥିପାଇଁ ଲୋକମାନେ ଭିଡ କରୁଥିବା ଜଣା ପଡ଼ିଛି । ପେଟ୍ରୋଲ ହେଉକି ଡିଜେଲ ମିଳିବନି ବୋଲି ସମସ୍ତଙ୍କ ମୁହଁରେ ଗତ କିଛିଦିନ ହେଲା ପ୍ରଚାରିତ ହେଉଛି । ସେଥିପାଇଁ ପେଟ୍ରୋଲ ପମ୍ପରେ ମଧ୍ୟ କଟକଣା କରାଯାଇ ବାଇକ ପାଇଁ ଶହେ ଟଙ୍କା ଏବଂ କାର ପାଇଁ ୫ଶହ ଟଙ୍କାର ପେଟ୍ରୋଲ ଦିଆ ଯାଉଛି । ତୈଳ ସଙ୍କଟକୁ ନେଇ ଗାଡ଼ି ଚାଳକମାନେ ଚିନ୍ତାରେ ପଡ଼ିଥିବା ବେଳେ ପେଟ୍ରୋଲ ପମ୍ପରେ ପ୍ରତିଦିନ ବାଇକ ଚାଳକଙ୍କ ଲମ୍ବା ଲାଇନ ଲାଗି ରହୁଥିବା ପରିଲକ୍ଷିତ ହେଉଛି । ତିହିଡି଼ ବ୍ଲକର ବିଭିନ୍ନ ସ୍ଥାନରେ ୫ଟି ତେଲ ଟାଙ୍କି ଥିବାବେଳେ ପ୍ରତ୍ୟେକ ଟାଙ୍କି ପାଖରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ତେଲ ଦାମକୁ ମଧ୍ୟ ବଢ଼ାଇ ଦିଆ ଯାଇଛି । ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ୮୨ପଇସା ଥିବାବେଳେ ଏବେ ୧୦୫ଟଙ୍କା ୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସଟ୍ରା ପାୱାର ପେଟ୍ରୋଲ ୧୧୧ଟଙ୍କା ୧୪ ପଇସାରୁ ୧୧୪ଟଙ୍କା ୩୫ପଇସା ଏବଂ ଡିଜେଲ ୯୩ଟଙ୍କା ୩୯ପଇସାରୁ ୯୬ଟଙ୍କା ୫୭ପଇସାକୁ ବୃଦ୍ଧି କରାଯାଇଛି । ତିହିଡି଼ ବ୍ଲକରେ ଗଦି -ଘଣ୍ଟେଶ୍ୱର ରାସ୍ତାର ସୁନେଇପୋଖରୀ ଛକ ଆଗକୁ, ବିନ୍ଧା ବଜାର ନିକଟରେ, କୋହ୍ଲ ହାଇସ୍କୁଲ ଛକରେ, ତିହିଡି଼ ପୁରୁଣାହାଟ ଏବଂ ଭଦ୍ରକ -ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାର ଠାରୁ କିଛି ଦୂରରେ ପେଟ୍ରୋଲ ପମ୍ପ ରହିଛି । ଏତେ ସଂଖ୍ୟାରେ ପେଟ୍ରୋଲ ପମ୍ପ ଥିବା ସତ୍ତ୍ୱେ ଆବଶ୍ୟକ ମୁତାବକ ତେଲ ନମିଳିବା ଆଲୋଚନାର ବିଷୟ ହୋଇଛି । ପୂର୍ବାପେକ୍ଷା ତୈଳ ଟାଙ୍କିକୁ ତେଲ କମ ଯୋଗାଣ ହେଉଥିବାରୁ ତେଲ ଉପରେ କଟକଣା କରାଯାଇ ବାଇକ ପିଛା ମାତ୍ର ଶହେ ଟଙ୍କାରେ ତେଲ ଦିଆ ଯାଉଥିବା କେତେକ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି । ଏଥିପାଇଁ ବୁଲେଟ ପରି ହେଭି ଇଞ୍ଜିନ ଥିବା ବାଇକ ଆରୋହୀମାନେ ଦୁର୍ଦ୍ଦଶାରେ ପଡ଼ୁଥିବା ଜଣାଯାଇଛି । ଅପରପକ୍ଷେ କେତେକ ବାଇକ ଚାଳକ ପେଟ୍ରୋଲ ନମିଳିବା ଭୟରେ ବାଇକ ଟାଙ୍କି ପୂରା କରିବା ଲକ୍ଷ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପରେ ବୁଲିବୁଲି ଶହେ ଶହେ ଟଙ୍କାରେ ତେଲ ପକାଉଛନ୍ତି । ଆଉ କେତେକ ବାଇକ ଚାଳକ ମଧ୍ୟ ଅଯଥାରେ ପେଟ୍ରୋଲ ପମ୍ପକୁ ଯାଇ ଗହଳି କରୁଛନ୍ତି । ଏଥିଯୋଗୁ ବାଇକ ପାଇଁ ତେଲର ନିହାତି ଆବଶ୍ୟକ ଥିବା ଚାଳକମାନଙ୍କୁ ଲମ୍ବା ଧାଡ଼ିରେ ଯାଇ ବାଇକରେ ତେଲ ଭରିବାକୁ ପଡ଼ୁଛି । ବିଶେଷତଃ ସାବିତ୍ରୀ ବ୍ରତ ପାଇଁ ବଜାରକୁ ଆସିଥିବା ବାଇକ ଚାଳକ ପେଟ୍ରୋଲ ପମ୍ପରେ ଭିଡ଼ କରୁଥିବା ଲକ୍ଷ୍ୟ କରା ଯାଇଛି । ବାଇକ ଚାଳକମାନେ ନିଜେ ନିଜେ ସଚେତନ ହେଲେ ପେଟ୍ରୋଲ ପମ୍ପରେ ଗହଳି ହୁଅନ୍ତା ନାହିଁ ବୋଲି କୁହାଯାଇଛି । ତେବେ ପ୍ରଶାସନର ହସ୍ତକ୍ଷେପ ରହିଲେ ଏପରି ଅବସ୍ଥା ହୁଅନ୍ତା ନାହିଁ ବୋଲି ଆଶା କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |