କଟକ,(ଉତ୍କଳ ନ୍ୟୁଜ), ୧୩.୬.୨୦୨୫ : ଅହମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରଲୋକ | ଗୁରୁବାର ଅପରାହ୍ଣରେ ଘଟିଥିବା ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ରୂପାନୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇ ଗୁଜରାଟ ବିଜେପି ସଭାପତି ସିଆର୍ ପାଟିଲ କହିଛନ୍ତି, ଆମର ସମ୍ମାନିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ବିମାନରେ ଥିଲେ। ଅତ୍ୟନ୍ତ ଦୁଃଖର ସହିତ ଏ କଥା କହିବାକୁ ପଡ଼ୁଛି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ସେ ଅଛନ୍ତି। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ। ଲଣ୍ଡନ ଗ୍ୟାଟୱିକ୍ ଅଭିମୁଖେ ଯାଉଥିବା ବୋଇଂ ୭୮୭ ଡ୍ରିମ୍ଲାଇନର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଓକର୍ମଚାରୀଙ୍କ ମଧ୍ୟରୁ ବିଜୟ ରୂପାନୀ ତାଙ୍କ ପତ୍ନୀ ଅଞ୍ଜଳି ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ଚଳିତ ମାସ ଶେଷ ଆଡ଼କୁ ସେ ସେମାନଙ୍କ ସହ ଫେରିଥାନ୍ତେ। ଉଡ଼ାଣ ଭରିବାର ମାତ୍ର କିଛି ସମୟ ପୂର୍ବରୁ ଜଣେ ଯାତ୍ରୀ ବିଜୟ ରୂପାନୀଙ୍କ ସହ ସେଲ୍ଫି ନେଉଥିବାର ଏକ ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହାବ୍ୟତୀତ ତାଙ୍କ ପୂରା ନାମ ‘ବିଜୟ ରାମନିକଲାଲ ରୂପାନୀ’ ଥିବା ଏକ ବୋର୍ଡିଂ ପାସ୍ ଏବଂ ଏଆଇ-୧୭୧ର ସିଟ୍ ବିବରଣୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି |