କଟକ (ଉତ୍କଳ ନ୍ୟୁଜ ) ୪-୧୦-୨୦୨୫ : ମାନସିକ ବିକୃତ ମହିଳାଙ୍କୁ ଅପହରଣ ଘଟଣାରେ ଅପହରଣକାରୀ ଟ୍ରକ ଡ୍ରାଇଭର ଗିରଫ ଓ ମହିଳା ଉଦ୍ଧାର। ଗତ ୨ ତାରିଖ ମଧ୍ୟ ରାତ୍ରିରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଏକୁଟିଆ ପାଇ ଟ୍ରକ ଡ୍ରାଇଭର ଜୋର ଜବରଦସ୍ତ ଅପହରଣ ଓ ଦୁଷ୍କର୍ମ କରିବା ଘଟଣାର ଫର୍ଦାଫାଶ କରିଛି ଭଦ୍ରକ ଟାଉନ ଥାନା ପୋଲିସ। ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରୁ ଗିରଫ ହେବା ସହିତ ଟ୍ରକକୁ ମଧ୍ୟ ଜବତ କରାଯାଇଛି। କେବଳ ସେଥିକି ନୁହେଁ ବରଂ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଆନ୍ଦୀଆ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଭଦ୍ରକ ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ କେନ୍ଦୁଝର ଜିଲ୍ଲାର ଝୁମ୍ପୁରା, ବଡ଼ବିଲ, ଯୋଡ଼ା ଅଞ୍ଚଳରେ ଛାନଭିନ୍ନ କରିବା ପରେ ଏହି ଟ୍ରକକୁ ଜବତ କରିଥିଲା। ପରେ ଡ୍ରାଇଭରକୁ ଗିରଫ କରିଥିଲା। ଗିରଫ ଡ୍ରାଇଭରଙ୍କ ନାମ ଏମଡ଼ି ସଦାମ ହୁସେନ ତାଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ। ସେ ଝୁମ୍ପୁରା ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନଙ୍କ ଟ୍ରକକୁ ୪ ମାସ ହେବ ଚଳାଉଥିଲେ। ଘଟଣା ଦିନ ସେ ଧାମରାରୁ ଲୁହା ପଥର ଅନଲୋଡ଼ କରି କେନ୍ଦୁଝର ଅଭିମୁଖେ ଫେରୁଥିବା ବେଳେ ଭଦ୍ରକ ଚରମ୍ପା ଠାରେ ସେ ମାନସିକ ବିକୃତ ମହିଳାଙ୍କୁ ଉଠାଇ ନେଇଥିଲେ।

ଚାଳକଙ୍କ ଏପରି କାର୍ଯ୍ୟ ସମ୍ପର୍କରେ ଟ୍ରକ ମାଲିକ ପୋଲିସ ଠାରୁ ସୂଚନା ପାଇଥିବା କହିଛନ୍ତି। ତେବେ ସମ୍ପୃକ୍ତ ମହିଳାଙ୍କୁ ଡ୍ରାଇଭର ଜଣକ ଦୁଷ୍କର୍ମ କରିଥିବା ପୋଲିସ ନିକଟରେ ବୟାନ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଏବଂ ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେ ଭଦ୍ରକ ମରେ କିଛି ବର୍ଷ ହେବ ବିଭିନ୍ନ ସ୍ଥାନରେ ରହୁଥିଲା। ତେବେ ସେ ସଠିକ ଭାବରେ କିଛି କହି ପାରୁ ନଥିଲେ ମଧ୍ୟ ତାଙ୍କୁ ଡ୍ରାଇଭର ଜଣକ ଖରାପ ବ୍ୟବହାର କରିଥିବା ସୂଚନା ମିଳିଛି।ତେବେ ପୋଲିସ ଏହି ଘଟଣାରେ ଗିରଫ ଅଭିଯୁକ୍ତ ଏବଂ ସମ୍ପୃକ୍ତ ମହିଳାଙ୍କୁ ଡାକ୍ତରୀ ମଇନା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଏସପି ଭଦ୍ରକ ଟାଉନ ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତିହିଡିରୁ ସଂଜୟ କୁମାର ଦାସଙ୍କ ରିପୋର୍ଟ |