କଟକ,(ଉତ୍କଳ ନ୍ୟୁଜ),୨୫.୦୮.୨୦୨୫ : ସୁବର୍ଣ୍ଣରେଖାରେ ଆଜି ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ୱିତୀୟ ବନ୍ୟା ଆସିଛି | ଫଳରେ ଉତ୍ତର ବାଲେଶ୍ଵରର ଜଳେଶ୍ୱର , ଭୋଗରାଇ ଓ ବାଲିଆପାଳ ବ୍ଲକ ଅଧୀନ ୨୫ ପଞ୍ଚାୟତର ୯୨ରୁ ଅଧିକ ଗାଁ ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ୫ ପଞ୍ଚାୟତର ୨୫ରୁ ଅଧିକ ଗାଁରେ ପାଣି ପଶିଛି |ସୂଚନାଅନୁସାରେ , ଗତ ୪ଦିନ ଧାରୀ ଉପରମୁଣ୍ଡରେ ବର୍ଷା ଜାରି ରହିଛି | କେନ୍ଦ୍ର ଜଳ ଆୟୋଗ ରିପୋର୍ଟ ଅନୁସାରେ , ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ଜାମସେଦପୁରରେ ୮.୬ ମିମି , ଘାଟଶିଳାରେ ୫.୮ ମିମି ,ଜମାଶୋଳରେ ୪.୮ ମିମି ଓ ଫେକରରେ ୨.୦ ମିମି ବର୍ଷା ରେକର୍ଡ କରାଯାଇଛି | ତଳମୁଣ୍ଡ ରାଜଘାଟରେ ୧୧.୦ ମିମି ବର୍ଷା ହୋଇଛି | ଗତକାଲି ଗଲୁତିହି ବ୍ୟାରେଜର ୧୩ଟି ଗେଟ ଖୋଲାଯାଇଥିବା ବେଳେ ଆଜି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଛି | ଅନ୍ୟପଟେ ବୈତରଣୀରେ ମଧ୍ୟ ବନ୍ୟା ଆସିଛି | ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୫୧,୦ ମିମି , କେନ୍ଦୁଝରରେ ୯୨.୪ ମିମି ,ସ୍ବାମପାଟଣାରେ ୪୬.୨ ମିମି, ଆନନ୍ଦପୁରଟରେ ୧୮.୪ ମିମି ଏବଂ ତଳମୁଣ୍ଡ ଆଖୁଆପଦାରେ ୧୨.୨ ମିମି ବର୍ଷା ରେକର୍ଡ କରାଯାଇଛି |ବୈତରଣୀ ନଦୀରେ ବନ୍ୟା ଆସିବାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକ ୪ଟି ପଞ୍ଚାୟତ ସୋହଡା ,ପ ଧାଵା ନି ଅର୍ଜୁନପୁର ଓ ହାସନାବାଦର ୨୫ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ୪୯ ଅଙ୍ଗନବାଡି କେନ୍ଦ୍ରକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି |