କଟକ,(ଉତ୍କଳ ନ୍ୟୁଜ),୨୮.୦୮.୨୦୨୫ : ଜମ୍ମୁକାଶ୍ମୀରରେ ଦଶନ୍ଧି ମଧ୍ୟରେ ସବୁଠାରୁ ପ୍ରବଳ ମୌସୁମୀ ବର୍ଷା ଉଧମପୁର ଓ ଜାମ୍ମୁ ଜିଲ୍ଲାରେ ଭୀଷଣ ବିପର୍ଯ୍ୟୟ ସୃଷ୍ଟି କରିଛି | ଜାମ୍ମୁ କାଶ୍ମୀରର କଟରାରେ ମାତା ବୈଷ୍ଣବଦେବୀ ଯାତ୍ରାପଥରେ ଆଜି ଅର୍ଦ୍ଧକୁମାରୀ ନିକଟରେ ବଡଧରଣର ଭୂସ୍ଖଳନ ହୋଇ ୩୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି | ବିଶାଳ ମାଟି ଅତଡ଼ା ଓ ପଥର ଧସିବାରୁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି | ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି | ପ୍ରବଳ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଅଚାନକ ବନ୍ୟା ଏବଂ ଭସ୍ଖଳନ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି | ଜମ୍ମୁରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି | ଅନେକ ପୋଲ ଭୁଶୁଡି ପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡି ଯାଇଛି | ଏଥିସହ ମୋବାଇଲ ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି | ଜମ୍ମୁ କାଶ୍ମୀର ପୁଲିସ , ଏନଡିଆରଏଫ , ଏସଡିଆରଏଫ , ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ଵେଛାକର୍ମୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଦକ୍ଷିଣ କାଶ୍ମୀରର ଝେଲମ ନଦୀରେ ପ୍ରବଳ ବନ୍ୟା ଆସୁଥିବାରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି |