ସାଂସଦ ଖେଳ ମହୋତ୍ସବ ନିମନ୍ତେ କଟକ ଜିଲ୍ଲାରେ ପଞ୍ଜିକରଣ ଆରମ୍ଭ |

19

କଟକ (ଉତ୍କଳ ନ୍ୟୁଜ ) ୨୯. ୦୮. ୨୦୨୫ : ବିକଶିତ ଭାରତ ପାଇଁ ସୁସ୍ଥ ରହିବେ ଯୁବବର୍ଗ, ଏହି ଉଦ୍ଦେଶ୍ୟ ନେଇ କଟକରେ ଆରମ୍ଭ ହେବାକୁ ଯାଉଛି ସାଂସଦ ଖେଳ ମହୋତ୍ସବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କ୍ରୀଡାରେ ଭାଗ ନେବା ନିମନ୍ତେ ଆଜି ଜାତୀୟ କ୍ରୀଡା ଦିବସରୁ ପଞ୍ଜିକରଣ ଆରମ୍ଭ ହୋଇଛି। ସାଂସଦ ଖେଳ ମହୋତ୍ସବରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରୁଛନ୍ତି। ପିଲାମାନଙ୍କୁ ଖେଳ ପ୍ରତି ଆକର୍ଷିତ କରାଇବା ସହ ସମସ୍ତଙ୍କ ମଧ୍ୟରେ ଏକ ଖେଳୁଆଡ ମନୋଭାବ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏଥିରେ କ୍ରିକେଟ, ଭଲି, ଫୁଟବଲ, ଖୋଖୋ, କବାଡି, ମାରାଥନ ଓ ପାରମ୍ପରିକ ଖେଳ ସ୍ଥାନ ପାଇଛି।

୧୭ ବର୍ଷରୁ କମ ବାଳକ ଓ ବାଳିକା, ୨୫ ବର୍ଷରୁ କମ ମହିଳା ଓ ପୁରୁଷ ଏବଂ ୨୫ ବର୍ଷରୁ ଅଧିକ ମହିଳା ଓ ପୁରୁଷ ଭଳି ବିଭିନ୍ନ ବର୍ଗରେ କ୍ରୀଡ଼ାବିତମାନେ ନିଜ ନିଜର ନାମ ପଞ୍ଜିକୃତ କରୁଛନ୍ତି। ଏହି କ୍ରୀଡା ପ୍ରତିଯୋଗିତା ପ୍ରଥମେ ପଞ୍ଚାୟତ ସ୍ତରୀୟ, ମଣ୍ଡଳ ସ୍ତରୀୟ, ବ୍ଲକ ସ୍ତରୀୟ ଓ ଶେଷରେ ସଂସଦୀୟ କ୍ଷେତ୍ର ସ୍ତରୀୟରେ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ପ୍ରାୟ ୭୦ ଜଣ କ୍ରୀଡ଼ାବିତ ବିଭିନ୍ନ ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ଖେଳ ଆରମ୍ଭ ହୋଇ ଡିସେମ୍ବର ୨୫ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ।