କଟକ ଜିଲ୍ଲା ଚତୁର୍ଥ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା ) ବୈଠକ ଅନୁଷ୍ଠିତ |

20

କଟକ (ଉତ୍କଳ ନ୍ୟୁଜ ) ୧୬-୦୯-୨୦୨୫ : ଜିଲ୍ଲା ପ୍ରଶାସନ ପକ୍ଷରୁ ଚତୁର୍ଥ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା) ବୈଠକ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦ, କଟକ ଲୋକସଭା ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ତଥା ପ୍ରତ୍ୟକ୍ଷ ତତତ୍ତ୍ଵାବଧାନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ବିଧାୟକ ଆଠଗଡ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ, ସାଲେପୁର ଶ୍ରୀ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟିକା, ବାରବାଟୀ-କଟକ, ଇଂ ସୋଫିଆ ଫିରଦୋସ, ବିଧାୟକ, କଟକ-ସଦର ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ମାହାଙ୍ଗା, ଶ୍ରୀ ସାରଦା ପ୍ରସାଦ ପ୍ରଧାନ, କଟକ ମହାନଗର ନିଗମ ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହ, ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାରମ୍ଭରେ ତୃତୀୟ ଦିଶା ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନ ଆଦି ସଂମ୍ପର୍କରେ ଜନ ପ୍ରତିନିଧିମାନଙ୍କୁ ବୈଠକରେ ସଂପୃକ୍ତ ଅଧିକାରୀମାନଙ୍କ ଦ୍ଵାରା ଅବଗତ କରାଯାଇଥିଲା। ଜିଲ୍ଲାରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ସମୀକ୍ଷା ସହ ସମଗ୍ର ଶିକ୍ଷା ଅଭିଯାନରେ ବିଦ୍ୟାଳୟ ମାନଙ୍କରେ ବାଳକ ମାନଙ୍କ ତୁଳନାରେ ବାଳିକା ମାନଙ୍କ ଉପସ୍ଥିତି କମ୍, ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକର ପୁନରୁଦ୍ଧାର ଓ ମିଶ୍ରଣ ଏବଂ ଏଥି ନିମନ୍ତେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ, ସମ୍ମିଳିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକର ସ୍ଥିତି ଓ ନିର୍ମାଣ କାର୍ଯ୍ୟ ଆଦି ବିଷୟରେ ଆଲୋଚନା ପୂର୍ବକ ବିସ୍ତୃତ ସମୀକ୍ଷା କରାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର ବୈଠକରେ ଜିଲ୍ଲାରେ ଚାଲୁରହିଥିବା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ସ୍ଵୟଂ ସହାୟକ ଗୋଷ୍ଠୀ, ଲକ୍ଷପତି ଦିଦି, କ୍ଲଷ୍ଟର ନିର୍ମାଣ ଆଦି ବିଷୟରେ ସମିକ୍ଷା ପୂର୍ବକ ପଞ୍ଚାୟତ ସ୍ତରରେ ବୈଠକ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ସାଂସଦ କହିଥିଲେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୁଶଳ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ସହ କୁଶଳୀ କାରିଗର ନିର୍ମାଣ ଏବଂ ଆତ୍ମନିଯୁକ୍ତି ସୃଷ୍ଟି ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାର ସମୀକ୍ଷା କରି ଅଧିକ ହିତାଧିକାରୀ ସୃଷ୍ଟି କରାଯିବା ସହ ବ୍ୟାଙ୍କ୍ ମାନଙ୍କର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିଶେଷରେ ଚାଷୀଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ (Soil Health Card)ଯୋଗାଇଦେବା, ମୃତ୍ତିକା ଚୟନ ଓ ସଂଗ୍ରହ, ଲାବୋରୋଟରୀ ଟେଷ୍ଟିଂ, ମୋବାଇଲ ଭ୍ୟାନ ବ୍ୟବହାର ଆଦି ସମ୍ପର୍କରେ ଆଲୋଚନା କରଯାଇଥିଲ। ଏଥି ସହ ବିଭିନ୍ନ ଅଞ୍ଚଳରେ ପ୍ରକଳ୍ପର ଅଗ୍ରଗତି, ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ନିଯୁକ୍ତି ପ୍ରଦାନ ଓ ଆତ୍ମା ନିଯୁକ୍ତି ସମ୍ପର୍କରେ ଉପସ୍ଥିତ ବିଧାୟକମାନେ ମତବ୍ୟକ୍ତ କରିଥିଲେ। ଆଠଗଡ଼ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କାର୍ଯ୍ୟସୂଚୀ ମୁତାବକ ବିଭିନ୍ନ ଯୋଜନା ବିଷୟରେ ଅବଗତ ହୋଇ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ଚାଷୀ ପଞ୍ଜିକରଣ କମ୍ ହେଉଥିବା ଦର୍ଶାଇ ଜିଲ୍ଲାରେ ସାର ଅଭାବୀ ଏବଂ ଗତ ବର୍ଷ ଫସଲ ବୀମାରେ ଚାଷୀ ଉପକୃତ ନ ହେବା, କୃଷି ଉଦ୍ୟାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ନ ହେବା ତଥା କାର୍ଯ୍ୟାନୁଷ୍ଠାନ ପୂର୍ବକ ସମସ୍ତ ଯୋଜନା ଗୁଡିକ ନିର୍ଦ୍ଧିଷ୍ଟ ସମୟସୀମାରେ ଶେଷ କରାଯିବା ଆଦି ସମ୍ପର୍କରେ ବୈଠକରେ ମତବ୍ୟକ୍ତ କରିଥିଲେ। ମହାନଗର ନିଗମ ମେୟର, ଶ୍ରୀ ସିଂହ ସହରାଞ୍ଚଳ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଜଳ ଓ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ସହ ବସ୍ତି ବାସିନ୍ଦାଙ୍କ ଜମି ପଟ୍ଟା ପ୍ରମାଣପତ୍ର(Land Record Certificate)ସମ୍ବନ୍ଧରେ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ସଭାପତି ଶ୍ରୀ ଆଶିଷ କୁମାର ସାହୁ ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଜନ କଲ୍ୟାଣ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।