“କଟକ ନାଟ୍ୟୋତ୍ସବ ୨୦୨୫” ଚୟନ ପର୍ଯ୍ୟାୟ , ଦ୍ୱିତୀୟ ଦିବସରେ ମନମୋହିଲା ସମାଜ ସଂସ୍କାର ମୂଳକ ନାଟକ ଅଲୋଡା ଓ ଠିକ୍ କି ଭୂଲ |

15

କଟକ (ଉତ୍କଳ ନ୍ୟୁଜ ) ୨୩.୦୯.୨୦୨୫: କଟକ ନାଟ୍ୟୋତ୍ସବ-୨୦୨୫ ଚୟନ ପର୍ଯ୍ୟାୟର ଦ୍ୱିତୀୟ ଦିବସରେ ଆଜି ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟ ଦର୍ଶକଙ୍କ କରତାଳିରେ ଗୁଞ୍ଜରିତ ହୋଇଉଠିଥିଲା । ପ୍ରଥମେ ପିଲୁ ମୋଦୀ କଲେଜ ଅଫ ଆର୍କିଟେକ୍‌ଚରର ଛାତ୍ରଛାତ୍ରୀମାନେ ମଂଚସ୍ଥ କରିଥିଲେ ନାଟକ ଠିକ୍ କି ଭୂଲ । ମୋବାଇଲ କବଳରେ ପଡି ପଥଭ୍ରଷ୍ଟ ହେଉଥିବା ଯୁବପିଢୀଙ୍କୁ ଖେଳକୁଦ ଓ ପାଠାଗାର ଯାଇ ବହି ପଢିବା ଭଳି ଭଲ ଗୁଣ ଆପଣାଇବାକୁ ବାର୍ତ୍ତା ଦେଇଥିଲା ଏହି ସମାଜ ସଚେତନତାଧର୍ମୀ ନାଟକ । ଦର୍ଶକ, ବିଚାରକମଣ୍ଡଳୀ ଓ ଛାତ୍ରଛାତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା ଏହି ନାଟକ । ପରେ ପରେ ଭୁବନାନନ୍ଦ ବୈଷୟିକ ବିଦ୍ୟାଳୟ, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଦ୍ୱାରା ମଂଚସ୍ଥ ନାଟକ ଅଲୋଡା ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା ବହନ କରିଥିଲା । କନ୍ୟା ଭୃଣହତ୍ୟା, ପରିବେଶ ସୁରକ୍ଷା, ଦିବ୍ୟାଙ୍ଗଙ୍କୁ ସମ୍ମାନ, ପୁଅ ଝିଅଙ୍କ ପାଇଁ ସମାନ ଅଧିକାର ଆଦି ବାର୍ତ୍ତାକୁ ବେଶ୍ ସୁନ୍ଦର ଭାବରେ ମଂଚରେ ଉପସ୍ଥାପିତ କରିଥିଲେ ଛାତ୍ରଛାତ୍ରୀ ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା ।

ପ୍ରତି ନାଟକ ଶେଷରେ ବିଚାରକମାନେ ମୂଲ୍ୟାଙ୍କନ କରିବା ସହ ପ୍ରତିଯୋଗୀମାନଙ୍କୁ ବେଶ ଉପାଦେୟ ଉପଦେଶମାନ ଦେଇଥିଲେ । ଆଜିର ଚୟନ ପର୍ଯ୍ୟାୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ ଶ୍ରୀକାନ୍ତ ଚୌଧୁରୀ, ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍‌, ବବି ଇସଲାମ ଓ ସନ୍ଦୀପ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ସିନେ ଅଭିନେତା ଶ୍ରୀତମ ଦାସ ପହଂଚି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ନାଟକ ଗୁଡିକରେ ଛାତ୍ରଛାତ୍ରୀମାନେ ଅଭିନୟ କରିବା ସହ ନିଜେ କାହାଣୀ ଲେଖିବା, ନିର୍ଦ୍ଦେଶନା ଦେବା, ସଂଗୀତ ଦେବା ଆଦି କାର‌୍ୟ୍ୟ ତୁଲାଇଛନ୍ତି । ଦର୍ଶକ ବିନାମୂଲ୍ୟରେ ଏହି ନାଟକ ଦେଖିପାରିବାର ସୁଯୋଗ ପାଇପାରିବେ।