ଐତିହାସିକ ବାଲିଯାତ୍ରା କଟକ-୨୦୨୫ ପ୍ଲଟ ନିଲାମ ନିୟମ ଏବଂ ସର୍ତ୍ତାବଳୀ ସମ୍ବନ୍ଧୀୟ ସୂଚନା |

16

କଟକ (ଉତ୍କଳ ନ୍ୟୁଜ ) ୨୫-୯-୨୦୨୫ ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟନ ହେବାକୁ ଥିବା ପ୍ଲଟ ନିଲାମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଏଥି ସମ୍ବନ୍ଧୀୟ ସମସ୍ତ ସୂଚନା ଆଜି ପ୍ରେସ ବିବୃତି ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ତଥା ବାଲିଯାତ୍ରା ପ୍ଲଟ ଆବଣ୍ଟନ କମିଟି ଅଧ୍ୟକ୍ଷ ଡ଼ଃ ଦିବ୍ୟଲୋଚନ ମହାନ୍ତ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ପ୍ଲଟ ଆବଣ୍ଟନ ନିମନ୍ତେ ପଞ୍ଜିକରଣ କାର୍ଯ୍ୟ ସେପ୍ଟେମ୍ବର ୨୬ତାରିଖଠାରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହାଇବ୍ରିଡ ମୋଡ଼ (ଉଭୟ ଅନଲାଇନ ଓ ଅଫଲାଇନ) ଜରିଆରେ କରାଯିବାକୁ ସ୍ଥିର କରାଯାଇଅଛି । ଆବେଦନକାରୀ ପଞ୍ଜିକରଣ ନିମନ୍ତେ ଆବେଦନପତ୍ର ସହିତ ବାରବାଟି ଷ୍ଟାଡିୟମ ସନ୍ନିକଟ ବାରବାଟି ପ୍ୟାଲେସଠାରେ ସରକାରୀ ଛୁଟିଦିନ ବ୍ୟତୀତ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦୈନିକ ପୂର୍ବାହ୍ନ ୧୧ ଘଟିକାଠାରୁ ଅପରାହ୍ନ ୫ଘଟିକା ମଧ୍ୟରେ ଦାଖଲ କରିପାରିବେ ଓ ପଞ୍ଜିକରଣ ପତ୍ର ଗ୍ରହଣ କରିପାରିବେ। ଚଳିତ ବର୍ଷ ନିଲାମ ପ୍ରକ୍ରିୟା ସର୍ବନିମ୍ନ ୪୦ ଟଙ୍କା, ୫୦ଟଙ୍କା ଓ ୬୦ ଟଙ୍କା ରଖାଯାଇ ଆସନ୍ତା ଅକ୍ଟୋବର ୧୩ତାରିଖଠାରୁ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡଃ ମହାନ୍ତ ସୂଚନା ଦେଇଛନ୍ତି। ଏତଦବ୍ୟତିତ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି।ପ୍ରେସ ବିବୃତି ପ୍ରଦାନ ସମୟରେ ପ୍ଲଟ ଆବଣ୍ଟନ କମିଟିର ଅନ୍ୟ ସଦସ୍ୟ କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଶ୍ରୀ ଦେବଦତ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ଶ୍ରୀମତି ପ୍ରଜ୍ଞା ପାରମିତା ଥାଟୋଇଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।